quarta-feira, 4 de novembro de 2015

ଯୋହନଙ୍କ ପ୍ରଥମ ପତ୍ର : ORIYA


ଯୋହନଙ୍କ ପ୍ରଥମ ପତ୍ର 11ଆମ୍ଭେମାନେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। ଆମ୍ଭେମାନେ ଏହା ଶୁଣିଲୁ, ଆମ୍ଭେମାନେ ଏହା ସ୍ୱଚକ୍ଷୁରେ ଦେଖିଲୁ, ଆମ୍ଭେମାନେ ଏହା ନିରୀକ୍ଷଣ କଲୁ ଏବଂ ଆମ୍ଭେମାନେ ନିଜ ହସ୍ତରେ ସ୍ପର୍ଶ କଲୁ। ଆମ୍ଭେମାନେ ସେହି “ବାକ୍ୟ” (ଖ୍ରୀଷ୍ଟଙ୍କ) ବିଷୟରେ ତୁମ୍ଭକୁ ଲେଖୁଛୁ, ଯାହା ଜୀବନ ଦାନ କରେ। 2ସେହି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କରେ ପ୍ରମାଣ ଦେଇପାରୁ। ବର୍ତ୍ତମାନ ଆମ୍ଭେ ସେହି ଜୀବନ ସମ୍ପର୍କରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ୱରଙ୍କ ସହିତ ଥିଲା। ପରମେଶ୍ୱର ସେହି ଜୀବନ ଆମ୍ଭକୁ ପ୍ରକାଶିତ କଲେ। 3ବର୍ତ୍ତମାନ ତୁମ୍ଭମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯାହା ଆମ୍ଭେମାନେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ୱାରା ତୁମ୍ଭେମାନେ ଆମ୍ଭର ସହଭାଗୀ ହୋଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ୟ ସହଭାଗୀ। 4ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ। 5ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ। 6ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ। 7ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ। 8ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ। 9ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ। 10ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତେବେ ଆମ୍ଭେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରୁ ଏବଂ ତାହାଙ୍କ ସତ୍ୟଶିକ୍ଷା ଆମ୍ଭେମାନେ ଗ୍ରହଣ କରି ନାହୁଁ।

ଯୋହନଙ୍କ ପ୍ରଥମ ପତ୍ର 21ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। 2ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି। 3ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ। 4ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ। 5ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା’ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା। 6ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍। 7ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। 8ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି। 9ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। 10ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା’ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। 11କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ। 12ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। 13ପିତାମାନେ! ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ଯୁବକମାନେ! ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। 14ପିଲାମାନେ! ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ! ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ଯୁବକମାନେ! ତୁମ୍ଭେମାନେ ବଳବାନ ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି, ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। 15ତୁମ୍ଭେମାନେ ସଂସାରକୁ ବା ସେଥିରେ ଥିବା ବିଷୟ ଗୁଡ଼ିକୁ ଭଲ ପାଅ ନାହିଁ। ଯଦି କେହି ସଂସାରକୁ ଭଲ ପାଏ, ତେବେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। 16ସଂସାରର ଏହି ବିଷୟ ଗୁଡ଼ିକ ମନ୍ଦ ଅଟେ। ଯଥା: ଆମ୍ଭର ପାପ ପ୍ରକୃତିକୁ ତୁଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ବିଷୟ ପାଇବାର ଇଚ୍ଛା; ଯେଉଁସବୁ ମନ୍ଦ ବିଷୟ ଆମ୍ଭର ଦୃଷ୍ଟିଗୋଚର ହୁଏ, ତାହା ପାଇବାର ଇଚ୍ଛା; ତଥା ଆମ୍ଭର ଯାହା ଅଛି, ତହିଁ ପାଇଁ ଗର୍ବ କରିବା। ଏ ସମସ୍ତ ବିଷୟ ପରମପିତାଙ୍କଠାରୁ ନୁହେଁ, ମାତ୍ର ଏହି ସଂସାରରୁ ଆସିଅଛି। 17ସଂସାର କ୍ଷୟ ପାଉଅଛି। ଏଥିସହିତ ସଂସାରରେ ଥିବା ବିଷୟ ଗୁଡ଼ିକ ମଧ୍ୟ କ୍ଷୟ ପାଉଅଛି। ମାତ୍ର ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ। 18ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି। 19ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି। 20ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ। 21ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ’ଣ? ତୁମ୍ଭେ ସତ୍ୟକୁ ଜାଣି ନାହଁ ବୋଲି କ’ଣ ମୁଁ ଏହା ଲେଖୁଛି? ନା, ତୁମ୍ଭେ ଏହି ସତ୍ୟ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ୟ ଜାଣିଛ ସତ୍ୟରୁ କେବେ ହେଲେ କୌଣସି ମିଥ୍ୟା ଉତ୍ପନ୍ନ ହୁଏ ନାହିଁ। 22ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। 23ଯେଉଁ ବ୍ୟକ୍ତି ପୁତ୍ରକୁ ବିଶ୍ୱାସ କରେ ନାହିଁ, ପିତା ତାହାଙ୍କଠାରେ ବାସ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠାରେ ପିତା ମଧ୍ୟ ଅଛନ୍ତି। 24ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ। 25ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି। 26ଯେଉଁମାନେ ତୁମ୍ଭମାନଙ୍କୁ ଭୁଲ୍ ପଥରେ କଢ଼ାଇ ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କୁ ଏହି କଥା ଲେଖୁଛି। 27ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶେଷ ଦାନ ଦେଇଛନ୍ତି, ତାହା ତୁମ୍ଭଠାରେ ଏପର୍ଯ୍ୟନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନେବା ଆବଶ୍ୟକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସେହି ଦାନ ତୁମ୍ଭକୁ ସମସ୍ତ ବିଷୟରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦେଇଥିବା ସେହି ଦାନ ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ତାହାଙ୍କର ସେହି ଦାନର ଶିକ୍ଷାନୁସାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଆଉ ଜୀବନଯାପନ କର। 28ପ୍ରିୟ ପିଲାମାନେ, ତାହାଙ୍କଠାରେ ରୁହ। ଏହା କଲେ, ଖ୍ରୀଷ୍ଟ ଯେଉଁଦିନ ଆସିବେ ଆମ୍ଭେମାନେ ଭରସାଯୁକ୍ତ ହୋଇ ଭୟ କରିବା ନାହିଁ। ଯେଉଁଦିନ ସେ ଆସିବେ, ସେହି ଦିନ ଆମ୍ଭକୁ ଲଜ୍ଜିତ ହେବାକୁ କିମ୍ବା ଆତ୍ମଗୋପନ କରିବାକୁ ପଡ଼ିବ ନାହିଁ। 29ସେ ଧାର୍ମିକ ବୋଲି ତୁମ୍ଭେ ଜାଣିଛ। ତେଣୁ ତୁମ୍ଭେ ଏହା ମଧ୍ୟ ଜାଣିରଖ ଯେ, ଧର୍ମାଚରଣ କରୁଥିବା ସମସ୍ତ ବ୍ୟକ୍ତି ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି।

ଯୋହନଙ୍କ ପ୍ରଥମ ପତ୍ର 31ପରମପିତା ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କଲେ। ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ରୂପେ ନାମିତ ହେବା ଦ୍ୱାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ରେମ ପ୍ରକାଶ ପାଏ। ଆମ୍ଭେ ପ୍ରକୃତରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ (ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ) ପରମେଶ୍ୱରଙ୍କୁ ଚିହ୍ନି ପାରି ନ ଥିବାରୁ ଆମ୍ଭକୁ ମଧ୍ୟ ପରମେଶ୍ୱରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ। 2ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ୱରଙ୍କର ସନ୍ତାନ, କିନ୍ତୁ ଭବିଷ୍ୟତରେ ଆମ୍ଭେ କ’ଣ ହେବା ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହୋଇଯିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସେହି ରୂପରେ ଦେଖିବା। 3ଖ୍ରୀଷ୍ଟ ପବିତ୍ର। ଯେ କେହି ଖ୍ରୀଷ୍ଟଙ୍କଠାରେ ଆଶା ରଖେ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରଖେ। 4ଯେଉଁ ଲୋକ ପାପ କରେ, ସେ ପରମେଶ୍ୱରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ ହେଉଛି ପାପ। 5ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତରେ କୌଣସି ପାପ ନାହିଁ। 6ତାହାଙ୍କଠାରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ। 7ପ୍ରିୟ ପିଲାମାନେ, କେହି ତୁମ୍ଭମାନଙ୍କୁ ମନ୍ଦ ପଥରେ ଯିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକେହି ଖ୍ରୀଷ୍ଟଙ୍କ ପରି ଉତ୍ତମ ହେବାକୁ ଇଚ୍ଛା କରେ, ସେ ଉଚିତ୍ କର୍ମ କରୁ। 8ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ୱଂସ କରିବା ପାଇଁ ପରମେଶ୍ୱରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି। 9ପରମେଶ୍ୱରଙ୍କର ସନ୍ତାନ ହେବା ଲୋକ ଆଉ ପାପ କରେ ନାହିଁ, କାରଣ ଯେଉଁ ନୂଆ ଜୀବନ ପରମେଶ୍ୱର ସେହି ଲୋକକୁ ଦିଅନ୍ତି, ତାହା ତା’ଠାରେ ଥାଏ। ତେଣୁ ସେ ଆଉ ପାପ କରିପାରେ ନାହିଁ ଯେହେତୁ ସେ ପରମେଶ୍ୱରଙ୍କର ସନ୍ତାନ ହୋଇସାରିଥାଏ। 10ତେଣୁ କେଉଁମାନେ ପରମେଶ୍ୱର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭେମାନେ ଜାଣି ପାରିବ। ଯେଉଁମାନେ ସ‌‌‌‌‌ତ୍‌‌‌‌‌କର୍ମ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କର ସନ୍ତାନ ନୁହନ୍ତି, ଯେ କେହି ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ନୁହେଁ। 11ତୁମ୍ଭେମାନେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ରେମ କରିବା ଉଚିତ୍। 12ଆମ୍ଭେ କୟିନ ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା’ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା’ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା। 13ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ। 14ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ। 15ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ। 16ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍। 17ଯେଉଁ ବିଶ୍ୱାସୀ ଜଗତର ସମସ୍ତ ଧନରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥାରେ ଦେଖି ମଧ୍ୟ ତାହାକୁ ସାହାଯ୍ୟ କରେ ନାହିଁ, ତା’ ହୃଦୟରେ ପରମେଶ୍ୱରଙ୍କର ପ୍ରେମ ନାହିଁ। 18ପ୍ରିୟ ପିଲାମାନେ, ଆମ୍ଭର ପ୍ରେମ କେବଳ ଶବ୍ଦ ଓ କଥା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ମାତ୍ର ଏହା ସତ୍ୟପ୍ରେମ ହେବା ଆବଶ୍ୟକ ଓ ଆଚରଣରେ ଆମ୍ଭେ ଏହା ଦେଖାଇବା ଉଚିତ୍। 19- 20ଏହିପରି ଭାବରେ ଆମ୍ଭେ ସତ୍ୟମାର୍ଗରେ ଅଛୁ ବୋଲି ଜାଣି ପାରିବା। ପୁଣି ଯଦି କୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତେବେ ମଧ୍ୟ ଆମ୍ଭେମାନେ ପରମେଶ୍ୱରଙ୍କ ଛାମୁରେ ଶାନ୍ତ ରହି ପାରିବା, କାରଣ ପରମେଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି। 21ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ୱରଙ୍କ ଛାମୁରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି। 22ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସେହି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ। 23ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା। 24ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ୱରଙ୍କଠାରେ ରୁହେ ଓ ପରମେଶ୍ୱର ସେହି ଲୋକଠାରେ ରୁହନ୍ତି। ପରମେଶ୍ୱର ଯେ ଆମ୍ଭମାନଙ୍କଠାରେ ବାସ କରନ୍ତି, ତାହା ଆମ୍ଭେମାନେ କିପରି ଜାଣିବା? ପରମେଶ୍ୱରଙ୍କ ଦତ୍ତ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭେମାନେ ତାହା ଜାଣି ପାରିବା।

ଯୋହନଙ୍କ ପ୍ରଥମ ପତ୍ର 41ପ୍ରିୟ ବନ୍ଧୁମାନେ, ଏ ଜଗତର ଗ୍ଭରିଆଡ଼େ ବହୁତ ଭଣ୍ଡ ଭାବବାଦୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରତ୍ୟେକ ଆତ୍ମାକୁ ବିଶ୍ୱାସ କର ନାହିଁ, ବରଂ ସେମାନେ ପରମେଶ୍ୱରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ। 2ଏହି ପ୍ରକାରେ ତୁମ୍ଭେମାନେ ପରମେଶ୍ୱରଙ୍କର ଆତ୍ମାକୁ ଚିହ୍ନି ପାରିବ: ଏକ ଆତ୍ମା କହିବ ଯେ, “ମୁଁ ବିଶ୍ୱାସ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ସେ ଏ ଜଗତକୁ ମନୁଷ୍ୟ ରୂପ ଧାରଣ କରି ଆସିଥିଲେ,” ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆଗତ। 3ଅନ୍ୟ ଆତ୍ମା ଯୀଶୁଙ୍କ ବିଷୟରେ ଏପରି ସାକ୍ଷ୍ୟ ଦିଅନ୍ତି ନାହିଁ, ସେହି ଆତ୍ମା ପରମେଶ୍ୱରଙ୍କଠାରୁ ଆସି ନାହିଁ, ସେମାନେ ଖ୍ରୀଷ୍ଟଙ୍କର ଶତ୍ରୁ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବା ସମ୍ବନ୍ଧରେ ତୁମ୍ଭେମାନେ ଶୁଣିଛ ଏବଂ ସେ ବର୍ତ୍ତମାନ ଏହି ସଂସାର ଭିତରେ ରହିଛି। 4ପିଲାମାନେ! ତୁମ୍ଭେମାନେ ପରମେଶ୍ୱରଙ୍କର ଅଟ। ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ (ଭଣ୍ଡ ଶିକ୍ଷକମାନଙ୍କୁ) ପରାସ୍ତ କରିଛ କାରଣ ତୁମ୍ଭ ମଧ୍ୟରେ ଯେ ଅଛନ୍ତି, ସେ ଜାଗତିକ ଲୋକମାନଙ୍କଠାରେ ଥିବା ଶୟତାନଠାରୁ ମଧ୍ୟ ମହାନ୍। 5ସେହି ଲୋକମାନେ ଜଗତର ଅଟନ୍ତି। ସେଥିପାଇଁ ସେମାନଙ୍କର କଥାଗୁଡ଼ିକ ଜାଗତିକ ଅଟେ। ଏବଂ ଜଗତ ସେମାନଙ୍କ କଥା ଶୁଣେ। 6କିନ୍ତୁ ଆମ୍ଭେ ସବୁ ପରମେଶ୍ୱରଙ୍କର। ତେଣୁ ପରମେଶ୍ୱରଙ୍କୁ ଜାଣିଥିବା ଲୋକ ଆମ୍ଭ କଥା ଶୁଣେ। ଯେଉଁ ଲୋକ ପରମେଶ୍ୱରଙ୍କର ନୁହେଁ, ସେ ଆମ୍ଭ କଥା ଶୁଣେ ନାହିଁ। ଏହିପରି ଭାବରେ ଆମ୍ଭେ ସତ୍ୟମୟ ଆତ୍ମା ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବା ଆତ୍ମାକୁ ଚିହ୍ନି ପାରିବା। 7ପ୍ରିୟ ବନ୍ଧୁମାନେ, ଆମ୍ଭେ ସବୁ ପରସ୍ପରକୁ ଭଲ ପାଇବା ଉଚିତ୍, କାରଣ ପ୍ରେମ ପରମେଶ୍ୱରଙ୍କଠାରୁ ଆସେ। ଯେଉଁ ଲୋକ ପ୍ରେମ କରେ, ସେ ପରମେଶ୍ୱରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପାରେ। 8ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ପରମେଶ୍ୱରଙ୍କୁ ଜାଣେ ନାହିଁ, କାରଣ ପରମେଶ୍ୱର ତ ପ୍ରେମ। 9ଏହିପରି ଭାବରେ ପରମେଶ୍ୱର ଆମ୍ଭକୁ ତାହାଙ୍କ ପ୍ରେମ ଦେଖାଇଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ୟମରେ ଜୀବନ ପାଇ ପାରିବା। 10ଆମ୍ଭେମାନେ ଯେ ପରମେଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ଏହା ହେଉଛି ପ୍ରକୃତ ପ୍ରେମ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ: 11ଏହା ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱରଙ୍କ ମହାନ୍ ପ୍ରେମ ପ୍ରକାଶ ପାଏ। ତେଣୁ ପ୍ରିୟ ବନ୍ଧୁମାନେ, ଆମ୍ଭେମାନେ ମଧ୍ୟ ପରସ୍ପରକୁ ନିଶ୍ଚୟ ପ୍ରେମ କରିବା। 12କେହି କେବେ ପରମେଶ୍ୱରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ବାସ କରିବେ ଓ ତାହାଙ୍କର ପ୍ରେମ ଆମ୍ଭଠାରେ ସିଦ୍ଧ ହେବ। 13ଆମ୍ଭେ ଜାଣୁ ଯେ, ଆମ୍ଭେ ସବୁ ପରମେଶ୍ୱରଙ୍କଠାରେ ରହିଛୁ ଓ ସେ ଆମ୍ଭଠାରେ ଅଛନ୍ତି। ଆମ୍ଭେ ଏହା ଜାଣୁ, କାରଣ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କର ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। 14ଆମ୍ଭେମାନେ ଦେଖିଅଛୁ ଯେ ପରମେଶ୍ୱର ଜଗତର ଉଦ୍ଧାର ପାଇଁ ଯେ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍ଭେମାନେ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ୟ ଆମ୍ଭେ ସେହି ସାକ୍ଷ୍ୟ ଦେଉଅଛୁ। 15ଯଦି କେହି ବିଶ୍ୱାସ କରେ ଯେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି,” ତେବେ ପରମେଶ୍ୱର ତାଠାରେ ରହନ୍ତି ଓ ସେ ମଧ୍ୟ ପରମେଶ୍ୱରଙ୍କଠାରେ ରହେ। 16ତେଣୁ ଆମ୍ଭେ ପରମେଶ୍ୱରଙ୍କ ପ୍ରେମକୁ ଜାଣିଛୁ ଓ ତହିଁରେ ଭରସା ରଖିଛୁ। ପରମେଶ୍ୱର ତ ପ୍ରେମ। ଯେଉଁ ଲୋକ ପ୍ରେମରେ ସ୍ଥିର ରହେ, ସେ ପରମେଶ୍ୱରଙ୍କଠାରେ ସ୍ଥିର ରହେ ଓ ପରମେଶ୍ୱର ତାହାଠାରେ ବାସ କରନ୍ତି। 17ଯଦି ଆମ୍ଭେ ପରମେଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହୁ, ତେବେ ତାହାର ବିଗ୍ଭର ଦିନରେ ଆମ୍ଭେମାନେ ଭରସାଯୁକ୍ତ ହୋଇ ନିର୍ଭୟରେ ରହି ପାରିବା। ଏହି ଜଗତରେ ଆମ୍ଭେମାନେ ତାହାଙ୍କ (ଖ୍ରୀଷ୍ଟଙ୍କ) ଭଳି ହୋଇଥିବାରୁ, ନିର୍ଭୟରେ ରହିପାରିବା। 18ପ୍ରେମରେ ଭୟ ନ ଥାଏ। ବରଂ ପରମେଶ୍ୱର ଦତ୍ତ ସିଦ୍ଧ ପ୍ରେମ ଭୟକୁ ଦୂର କରିଦିଏ। ଭୟ ସହିତ ଦଣ୍ଡର ସମ୍ପର୍କ ଥାଏ। ତେଣୁ ଯାହାର ଭୟ ଅଛି, ଈଶ୍ୱରଙ୍କ ପ୍ରେମ ତାହାଠାରେ ସିଦ୍ଧ ହୋଇ ନାହିଁ। 19ପରମେଶ୍ୱର ଆମ୍ଭକୁ ପ୍ରଥମେ ପ୍ରେମ କରିବାରୁ ଆମ୍ଭେମାନେ ତାହାଙ୍କୁ ପ୍ରେମ କରିଲୁା 20ଯଦି କେହି କହେ “ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ,” କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ହେଉଛି ମିଥ୍ୟାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତେବେ ଯେଉଁ ପରମେଶ୍ୱରଙ୍କୁ ସେ କେବେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରିବ ନାହିଁ। 21ଏହି ଆଜ୍ଞା ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଛୁ ଯେ ଯେକେହି ପରମେଶ୍ୱରଙ୍କୁ ପ୍ରେମ କରେ, ସେ ନିଜ ଭାଇକୁ ମଧ୍ୟ ପ୍ରେମ କରେ।

ଯୋହନଙ୍କ ପ୍ରଥମ ପତ୍ର 51ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ। 2ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଅଟୁ। 3କାରଣ ପରମେଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ। 4ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି। 5ଆମ୍ଭର ବିଶ୍ୱାସ ଦ୍ୱାରା ଆମ୍ଭେ ଜଗତକୁ ଜିତିଛୁ। ଆମ୍ଭର ବିଶ୍ୱାସ ଜଗତକୁ ଜୟ କରେ। ଯେଉଁ ଲୋକ ବିଶ୍ୱାସ କରେ ଯେ ଯୀଶୁ ପରମେଶ୍ୱରଙ୍କ ପୁତ୍ର, ସେ ଜଗତରେ ବିଜୟୀ ହୁଏ। 6ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ। 7ଯୀଶୁଙ୍କ ବିଷୟରେ ଆମ୍ଭକୁ ତିନି ଜଣ ସାକ୍ଷ୍ୟ ଦିଅନ୍ତି; 8ପବିତ୍ରଆତ୍ମା, ଜଳ ଓ ରକ୍ତ। ଏହି ତିନି ଜଣଙ୍କ ସାକ୍ଷ୍ୟ ଏକ ଅଟେ। 9ଯେତେବେଳେ ଲୋକମାନେ ସତ୍ୟକଥା କହନ୍ତି, ଆମ୍ଭେ ତାହା ବିଶ୍ୱାସ କରିଥାଉ। କିନ୍ତୁ ପରମେଶ୍ୱର ଯାହା କହନ୍ତି, ତାହା ତ ଅଧିକ ବିଶ୍ୱାସ ଯୋଗ୍ୟ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ସାକ୍ଷ୍ୟ ଦିଅନ୍ତି। 10ପରମେଶ୍ୱରଙ୍କର ପୁତ୍ରଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି ନିଜ ହୃଦୟରେ ସେହି ବାକ୍ୟ ସାକ୍ଷ୍ୟ ପାଇଅଛି। ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରିଦିଏ, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ସମ୍ବନ୍ଧରେ ଯାହା କହିଛନ୍ତି, ସେ ତାହା ବିଶ୍ୱାସ କରେ ନାହିଁ। 11ପରମେଶ୍ୱର ଏହା କହନ୍ତି: ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। 12ଯିଏ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି। କିନ୍ତୁ ଯେ ପରମେଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ପାଇ ନାହିଁ। 13ହେ ପରମେଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। 14ଆମ୍ଭେ ନିସନ୍ଦେହରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠାରେ ଆମ୍ଭର ଏହି ଭରସା ଅଛି ଯେ ଯେତେବେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାୟୀ ତାହାଙ୍କୁ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି। 15ପ୍ରତ୍ୟେକ ସମୟରେ ସେ ଆମ୍ଭର ମାଗୁଣି ଶୁଣନ୍ତି। ତେଣୁ ଆମ୍ଭେ ତାହାଙ୍କୁ ଯାହା ମାଗୁ, ତାହା ସେ ଦେବେ ବୋଲି ଜାଣୁ। 16ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ। 17ସମସ୍ତ ମନ୍ଦ କାମ ପାପ ଅଟେ। କିନ୍ତୁ ଏପରି ପାପ କାମ ମଧ୍ୟ ଅଛି ଯାହା ଅନନ୍ତ ମୃତ୍ୟୁ ଆଡ଼କୁ ନେଇଯାଏ ନାହିଁ। 18ଆମ୍ଭେ ଜାଣୁ ଯେ, ପରମେଶ୍ୱରଙ୍କର ସନ୍ତାନ ହୋଇଥିବା ବ୍ୟକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ୱରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା’ର କିଛି କ୍ଷତି କରିପାରେ ନାହିଁ। 19ଆମ୍ଭେ ଜାଣୁ, ଯେ ଆମ୍ଭେ ପରମେଶ୍ୱରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣରେ ଅଛି। 20ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି। 21ତେଣୁ ପ୍ରିୟ ପିଲାମାନେ, ତୁମ୍ଭେମାନେ ସବୁ ନିଜ ନିଜକୁ ଭଣ୍ଡ ଦେବତାମାନଙ୍କଠାରୁ ଦୂରରେ ରଖ।

http://www.bible.is/ORYWTC/1John/1/N

Nenhum comentário:

Postar um comentário